ସଦଭାବନା ପୁରୁଷ ବାପୁଙ୍କୁ ପ୍ରଣାମ

୩୦ ଜାନୁଆରୀ, ୧୯୪୮, ନୂଆଦିଲ୍ଲୀ ବିରଳା ଭବନର ସକାଳ। ସେଦିନ ୩.୩୦ ରେ ବାପୁ ନିଦରୁ ଉଠିଥିଲେ। ନିତ୍ୟକର୍ମ ସାରି ସେ ସକାଳର ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ। ସକାଳ ସାତଟାରେ ତାଙ୍କୁ ଜଣେ ଆମେରିକୀୟ ସମାଜସେବୀଙ୍କୁ ଭେଟିବାର ଥିଲା। ତା ପୂର୍ବରୁ ସେ ନିଜର ବଙ୍ଗାଳୀ ଶିକ୍ଷା ଅଭ୍ୟାସ କରିଥିଲେ। ସିଝା ପରିବା,  ଛେଳି କ୍ଷୀର ଓ କମଳା ରସ ପିଇଥିଲେ। ସାମାନ୍ୟ ବିଶ୍ରାମ ପରେ ସେ କଂଗ୍ରେସର ଭବିଷ୍ୟତ କଣ ହେବା ଉଚିତ ତାକୁ ନେଇ ପୂର୍ବରୁ ଲେଖିଥିବା ଚିଠାକୁ ସାମାନ୍ୟ ପରିବର୍ତ୍ତନ କରିଥିଲେ। ସେଦିନ ଦିଲ୍ଲୀର ମୁସଲମାନ ନେତାମାନେ ଗାନ୍ଧୀଜୀଙ୍କୁ ସାକ୍ଷାତ କରି ଶାନ୍ତି ଓ ସହାବସ୍ଥାନ ଲାଗି ପୁଣିଥରେ ପ୍ରତିଶ୍ରୁତି ଦେଇଥିଲେ। ସେଦିନ ବାପୁଙ୍କ ଦିବଙ୍ଗତ ସେକ୍ରେଟାରୀ ମହାଦେବ ଦେସାଇଙ୍କ ଜୀବନୀ ଲେଖା ବିଷୟରେ ଗୁଜରାଟର ଶାନ୍ତିକୁମାର ମୋରାରଜି ଙ୍କ କଥାବାର୍ତ୍ତା କରିଥିଲେ। ସେଦିନ ଦିନ ସାରା ବହୁ ଲୋକ ବାପୁଙ୍କ ସହ ସାକ୍ଷାତ କରିଥିଲେ। ସେମାନଙ୍କ ଭିତରେ ଥିଲେ ବିଶିଷ୍ଟ ଐତିହାସିକ ରାଧାକୁମୁଦ ମୁଖାର୍ଜୀ।

, ସଦଭାବନା ପୁରୁଷ ବାପୁଙ୍କୁ ପ୍ରଣାମ

ସାଢେ ଚାରି ଟା ବେଳକୁ ବାପୁଙ୍କୁ ଦେଖା କରିବାକୁ ଆସିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ସେଦିନ ପ୍ରାର୍ଥନାସଭା ପରେ ନେହେରୁ ମଧ୍ୟ ବାପୁଙ୍କୁ ଦେଖା କରିବାର ଥିଲା। ବାପୁ ଓ ପଟେଲଙ୍କ ଭିତରେ କଥାବାର୍ତ୍ତା ବେଶ ଅଧିକ ସମୟ ଚାଲିଥିଲା।  ୫.୧୫ ବେଳକୁ ଆଭା ଓ ମନୁଙ୍କୁ ସାଙ୍ଗରେ ନେଇ ବାପୁ ପ୍ରାର୍ଥନାସଭାକୁ ବାହାରିଲେ। ଆଉ ସେଇଠାରେ ହିଁ ନାଥୁରାମ ଗଡସେ ତାଙ୍କ ଛାତିରେ ତିନୋଟି ଗୁଳି ଦାଗିଥିଲା। ପ୍ରଥମ ଗୁଳି ଛାତିରେ ଓ ବାକି ଦୁଇଟି ଗୁଳି ବାପୁଙ୍କ ପେଟରେ ବାଜିଥିଲା। ହେ ରାମ କହି, ବାପୁ ସେଇଠି ଟଳି ପଡିଥିଲେ।

, ସଦଭାବନା ପୁରୁଷ ବାପୁଙ୍କୁ ପ୍ରଣାମ

ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ସଙ୍ଘର୍ଷ କରୁ କରୁ ମହାତ୍ମା ଗାନ୍ଧୀଙ୍କୁ ପ୍ରାଣ ବଳି ଦେବାକୁ ପଡିଥିଲା। ତେବେ ବାପୁଙ୍କ ରକ୍ତ ଏ ଦେଶର ଶାନ୍ତି ଓ ସଂହତି ଅଧିକ ମଜବୁତ କରିଥିଲା। ଯେଉଁମାନେ ଭାବିଥିଲେ ଧର୍ମ ଆଧାରରେ ଏ ଦେଶକୁ ଘୃଣାର ସାମ୍ରାଜ୍ୟ କରିବେ ସେମାନଙ୍କୁ ଏ ଦେଶର ଜନ ସାଧାରଣ ବାପୁଙ୍କ ହତ୍ୟାକାରୀ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ। ବାପୁଙ୍କ ଶବ ଶୋଭାଯାତ୍ରାରେ ସତେକି ପୂରା ଭାରତ ଉଠି ଆସିଥିଲା। ଏକ ପୋଲିସ ରିପୋର୍ଟ ଅନୁଯାୟୀ ସେଦିନର ଶବ ଶୋଭାଯାତ୍ରାରେ ପାଖାପାଖି ୧୫ ଲକ୍ଷ ଲୋକ ଯୋଗଦାନ କରିଥିଲେ। ଗଣମାଧ୍ୟମର ସବୁଠୁ ମନ୍ଥର ସମୟରେ ଏତେ ଲୋକଙ୍କର ସମାଗମ ଆଜି ବି ଦିଲ୍ଲୀରେ  ରେକର୍ଡ ହୋଇରହିଛି। ବାପୁଙ୍କ ପ୍ରତି ଭଲପାଇବା ସେଦିନ ରାଜରାସ୍ତାରେ ଦେଖିବାକୁ ମିଳିଥିଲା। ସାରା ପୃଥିବୀ ଅଶ୍ରୁ ସଜଳ ନୟନରେ ଏ ଗତ ଶତାବ୍ଦୀର ସର୍ବଶ୍ରେଷ୍ଠ ଜନନାୟକଙ୍କୁ ସମ୍ମାନ ଜଣାଇଥିଲା। ଶାନ୍ତି, ଅହିଂସା ଓ ସୌହାର୍ଦ୍ଦ୍ୟର ସହିଦ ଭାବରେ ବାପୁ ଆମର ଆଲୋକ ବର୍ତ୍ତିକା ହୋଇ ରହିଗଲେ। ସେଇ ୩୦ ଜାନୁଆରୀ ସନ୍ଧ୍ୟାରେ ପଣ୍ଡିତ ନେହେରୁ ତାଙ୍କର ପ୍ରସିଦ୍ଧ ଭାଷଣରେ କହିଥିଲେ- ଆମ ଜୀବନରୁ ଆଲୁଅ ଲିଭିଗଲା। ନା, ସେ ଆଲୁଅ ଆଜି ବି ଦେଦୀପ୍ୟମାନ ଓ ସେ ଆଲୁଅ ଆମ ଜୀବନରେ ଆହୁରି ହଜାର ବର୍ଷ ଯାଏ ଦେଦୀପ୍ୟମାନ ରହିବ।

Post Your View

Leave a Reply

Your email address will not be published. Required fields are marked *

Back to top button