ଟିକା ପାଇଁ କମିଟି ଗଠନ

ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟି ଗଠନ

ମହାମାରୀ କରୋନା ପାଇଁ ପୁରା ବିଶ୍ୱ ଚିନ୍ତାରେ । ଏଭଳି ସମୟରେ କରୋନା ଟିକା ପାଇଁ ବିଭିନ୍ନ ନାମୀଦାମୀ କମ୍ପାନୀ ପରୀକ୍ଷା ଚଲାଇଛନ୍ତି । କରୋନାର ପ୍ରତିଷେଧକ ପାଇଁ ଟିକାର ବିକାଶିତ କରାଯାଉଛି । ଅନେକ କମ୍ପାନୀର ଟିକା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ପରୀକ୍ଷା ସଫଳ ହେଲେ ଖୁବଶୀଘ୍ର ଟିକା ଦେଶରେ ଉପଲବ୍ଧ ହେବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଟିକାକରଣ ବ୍ୟବସ୍ଥା ଯେପରି ସୁଗମ ହୋଇପାରିବ ସେଥିପାଇଁ ବିଭିନ୍ନ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟିମାନ ଗଠନ କରାଯାଇଛି । ୨୧ ଜଣିଆ ରାଜ୍ୟସ୍ତରୀୟ ଟିକାକରଣ କମିଟିର ଅଧ୍ୟକ୍ଷ ରହିବେ ପରିବାର କଲ୍ୟାଣ ନିର୍ଦ୍ଦେଶକ । ଏଥିରେ ସଦସ୍ୟ ଭାବେ କାମ କରିବେ ରାଜ୍ୟ ଟିକାକରଣ ଅଧିକାରୀ । ସେହିପରି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର, କ୍ୟାପିଟାଲ ହସ୍ପିଟାଲ ଓ ଏସ୍‌ସିବି ବଡ଼ ମେଡିକାଲର କେତେକ ବିଭାଗୀୟ ମୁଖ୍ୟଙ୍କ ସହ ଅନ୍ୟ ସମ୍ବନ୍ଧିତ ବିଭାଗର ଅଧିକାରୀ ଏବଂ ବିଶେଷଜ୍ଞ ଏହି କମିଟିରେ ସଦସ୍ୟ ରହିବେ । ରାଜ୍ୟସ୍ତରୀୟ କମିଟି ଜିଲ୍ଲାସ୍ତରୀୟ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ଜିଲ୍ଲା ଗସ୍ତ କରି ବ୍ୟବସ୍ଥା ଯାଞ୍ଚ କରିବେ । ସେହିପରି ୧୪ ଜଣିଆ ଜିଲ୍ଲାସ୍ତରୀୟ ଟିକାକରଣ କମିଟିର ମୁଖ୍ୟ ରହିବେ ସିଡିଏମ୍ଓ । ଏଥିରେ ଜିଲ୍ଲାର ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ସଦସ୍ୟ ସଚିବ ଭାବେ କାମ କରିବେ । ଜିଲ୍ଲା ମୁଖ୍ୟ ହସ୍ପିଟାଲରେ କାମ କରୁଥିବା ବିଶେଷଜ୍ଞମାନଙ୍କ ସହ ଜିଲ୍ଲାର ବିଭିନ୍ନ ସହରାଞ୍ଚଳର ନିର୍ବାଚିତ ଲୋକ ପ୍ରତିନିଧି ମଧ୍ୟ ସଦସ୍ୟ ରହିବେ । ପ୍ରତି ଜିଲ୍ଲାରେ ସଠିକ ଭାବେ ଯେଭଳି ଟିକାକରଣ ହୋଇପାରିବ ତାହା ଉପରେ ନଜର ରଖିବ ଜିଲ୍ଲାସ୍ତରୀୟ କମିଟି । ଏସବୁ ଭିତରେ କେବେ ଟିକା ଆସିବ ତାହା ଉପରେ ସମସ୍ତଙ୍କ ନଜର ।

Post Your View

Leave a Reply

Your email address will not be published. Required fields are marked *

Back to top button