ଫୁଟବଲର ପିକେ ବାନାର୍ଜୀ ପରଲୋକରେ

ଭାରତର ପ୍ରଖ୍ୟାତ ଫୁଟବଲର୍ ପିକେ ବାନାର୍ଜୀଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି। ଶୁକ୍ରବାର ମଧ୍ୟାହ୍ନ ୧୨.୪୦ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନ୍ୟୁମୋନିଆ କାରଣରୁ ତାଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିଲା । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଝିଅ ପୌଲା ଓ ପୂର୍ଣ୍ଣା ଉପସ୍ଥିତ ଥିଲେ । ତାଙ୍କ ଭାଇ ପ୍ରସୁନ ବାନାର୍ଜୀ ତୃଣମୂଳ କଂଗ୍ରେସର ସାଂସଦ ମଧ୍ୟ ଅଛନ୍ତି । ୧୯୩୬, ଜୁନ୍ ୨୩ ତାରିଖରେ ମୋୟନାଗୁରୀରେ ଜନ୍ମିତ ବାନାର୍ଜୀ ୧୯୬୨ରେ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଫୁଟବଲ୍ ଦଳର ସଦସ୍ୟ ଥିଲେ। ଏହାଛଡ଼ା ସେ ୧୯୬୦ରେ ରୋମ୍ ଅଲିମ୍ପିକ୍ସରେ ଭାରତର ନେତୃତ୍ୱ ନେଇଥିଲେ ଏବଂ ଫ୍ରାନ୍ସ ବିପକ୍ଷରେ ୧-୧ ଗୋଲରେ ମ୍ୟାଚକୁ ଡ୍ର’ କରାଇଥିଲେ। ଏହା ପୂର୍ବରୁ ସେ ୧୯୫୬ରେ ମେଲବର୍ଣ୍ଣ ଅଲିମ୍ପିକ୍ସ ଟିମରେ ମଧ୍ୟ ସ୍ଥାନ ପାଇଥିଲେ ଏବଂ କ୍ୱାର୍ଟରଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ମିଳିଥିବା ୪-୨ ଗୋଲର ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ। ତାଙ୍କୁ  ଫିଫା ଭାରତର ସର୍ବଶ୍ରେଷ୍ଠ ଖେଳାଳିର ମାନ୍ୟତା ପ୍ରଦାନ କରିଥିଲା ଏବଂ ୨୦୦୪ରେ ବିଂଶ ଶତାବ୍ଦୀର ଅର୍ଡର ଅଫ୍ ମେରିଟ୍ ପ୍ରଦାନ କରିଥିଲା। ସେ ନିଜ କ୍ୟାରିୟରରେ ଅଧିକାଂଶ ସମୟ ଆହତ ସମସ୍ୟାରେ ରହିଥିଲେ। ଏହି ଆହତ କାରଣରୁ ସେ ୧୯୬୭ରେ ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ ନେଇଥିଲେ। ସେ ଭାରତ ପକ୍ଷରୁ ୮୪ ମ୍ୟାଚ୍ ଖେଳି ୬୫ ଗୋଲ୍ ସ୍କୋର କରିଛନ୍ତି। ଅବସର ନେବା ପରେ ସେ କୋଚିଂ କ୍ଷେତ୍ରରେ ପାଦ ଥାପିଥିଲେ। ତାଙ୍କ କୋଚିଂ ବଳରେ ଟିମ୍ ଗୁଡ଼ିକ ୫୪ ଟ୍ରଫି ହାସଲ କରିଛନ୍ତି।

Post Your View

Leave a Reply

Your email address will not be published. Required fields are marked *

Back to top button
Close